ବ୍ରହ୍ମପୁର୩୧/୩/୨୩: ବ୍ରହ୍ମପୁର ମେଡିକାଲ ପରିସରରେ ଗାଡି ରଖିଲେ ଦେବାକୁ ପଡୁଛି ପାଉଣା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ଦାବି ନେଇ ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଏମକେସିଜି ମେଡ଼ିକାଲ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ସହ ପାର୍କିଂ ଫ୍ରି ଆଦାୟ ବନ୍ଧ କର, ରୋଗ ଚିହ୍ନଟ ପାଇଁ ଆବଶ୍ୟକୀୟ ପରୀକ୍ଷାଗୁଡ଼ିକ ଘରୋଇ ସଂସ୍ଥା ହାତରେ ଦେବା ବନ୍ଦ କରିବା , ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଡ଼ାକ୍ତରୀ ଉପକରଣ ଓ ଔଷଧ ପତ୍ର ଯୋଗାଇଦେବା ଏବଂଆଉଟସୋସିଂ ପ୍ରଥା ବନ୍ଦ କରି ସ୍ଥାୟୀ ଭିଭିରେ ମେଡିକାଲ କର୍ମଚାରୀ ପଦବୀ ନିଯୁକ୍ତି ଦେବା ଆଦି ନେଇ ମେଡିକାଲ ସୁପେରିଟେଣ୍ଡେଣ୍ଟକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସରକାରୀ ମେଡିକାଲରେ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା କଥା ଘୋଷଣା କରିଛନ୍ତି । କିନ୍ତୁ ଏବେ କିଛି ଦିନ ହେବ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ଜନସାଧାରଣଙ୍କ ଯାନବାହନ ମେଡିକାଲ ଭିତରେ ରଖିବା ବାବଦକୁ ଏକ ଘରୋଇ ସଂସ୍ଥା ଦ୍ବାରା ୧୦ ଟଙ୍କା ଲେଖାଏଁ ପାକିଂ ଫି ଆଦାୟ କରାଯାଉଛି, ଯାହା ଅନ୍ୟାୟ ଏବଂ ମାଗଣା ଚିକିତ୍ସାର ବିରୋଧୀ। ଏତଦ ବ୍ୟତୀତ ରୋଗୀଙ୍କ ରୋଗ ଚିହ୍ନଟ ପାଇଁ ଆବଶ୍ୟକୀୟ ପରୀକ୍ଷାଗୁଡ଼ିକ ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଉଛି । ଏହା ସ୍ବାସ୍ଥ୍ୟ ସେବାର ଘରୋଇକରଣ କରିବାର ପ୍ରଥମ ପଦକ୍ଷେପ।ଅନ୍ୟପଟରେ ଦକ୍ଷିଣ ଓଡ଼ିଶାର ଜନସାଧାରଣ ମୁଖ୍ୟତଃ ଏହି ଏମ.କେ.ସି.ଜି. ମେଡିକାଲ ଉପରେ ଚିକିତ୍ସା ପାଇଁ ନିର୍ଭରଶୀଳ ଥିବା ବେଳେ ରୋଗୀର ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଡାକ୍ତରୀ ଉପକରଣ ଏବଂ ଔଷଧପତ୍ରର ଘୋର ଅଭାବ ରହିଛି । ମେଡ଼ିକାଲର ବିଭିନ୍ନ କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ ନ କରି ଆଉଟସୋସିଂ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହି ସମସ୍ୟା ସମୂହ ଉତ୍ତମ ଚିକିତ୍ସା ଯୋଗାଇବାରେ ବାଧକ ସାଜିଛି ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ନିମାଇଁ ଚରଣ ସାହୁ,ନାରାୟଣ ସାହୁ, ପପୁନ ସାହୁ, କିସାନ କୁମାର ସାହୁ, ସୁଭସ୍ମିତା ପାଣିଗ୍ରାହୀ, ମଧୁସୂଦନ ଦାସ, କାମରାଜ ସାହୁ,ବିଭୁତି ଭୂଷଣ ସାହୁ, ସୌମ୍ୟ ରଞ୍ଜନ ଗୌଡ଼, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
