You are currently viewing ଦିଗପହଣ୍ଡି ବ୍ଳକ ପଞ୍ଚାୟତ ସମିତି ସାଧାରଣ ବୈଠକରେ ସମିତି ସେର୍ ଅନୁଦାନ ଓ ଭତ୍ତା ବଣ୍ଟନକୁ ନେଇ ହଟ୍ଟଗୋଳ
ଦିଗପହଣ୍ଡି ବ୍ଳକ ପଞ୍ଚାୟତ ସମିତି ସାଧାରଣ ବୈଠକରେ ସମିତି ସେର୍ ଅନୁଦାନ ଓ ଭତ୍ତା ବଣ୍ଟନକୁ ନେଇ ହଟ୍ଟଗୋଳ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ କାର୍ଯ୍ୟକ୍ରମରେ ସମିତି ସେର୍ ଅନୁଦାନ ଓ ଭତ୍ତା ବଣ୍ଟନକୁ ନେଇ ହଟ୍ଟଗୋଳ ହୋଇଥିବା ଜଣାପଡିଛି । ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରାରମ୍ଭରେ ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ପରିଚାଳନା କରିବା ସହ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ବାଗତ ଅଭିନନ୍ଦନ ଜଣାଇଥିଲେ । ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମେଶ ସେଠୀ ପୂର୍ବ ପଞ୍ଚାୟତ ସମିତର ବିବରଣୀ ପାଠ ପ୍ରଦାନ କରିଥିଲେ । ସେହିପରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ , ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ରହିଥିଲେ । ଖବରନୁଯାୟୀ , ପଞ୍ଚାୟତ ସମିତିରେ ସମିତି ସେରର ୩୦ ଲକ୍ଷ ଅନୁଦାନକୁ ସମିତି ସଭ୍ୟ ମାନଙ୍କୁ କୌଣସି ସୂଚନା ନ ଦିଆଯାଇ କିପରି ୪ ରୁ ୫ ଗୋଟି ପଞ୍ଚାୟତକୁ ବଣ୍ଟନ କରାଗଲା ବୋଲି ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଥିଲେ । ଏହିପରି ନୂତନ ଭତ୍ତା ବଣ୍ଟନରେ ମଧ୍ୟ ପାତର ଅନ୍ତର ନୀତି ହୋଇଥିବା ଅଭିଯୋଗ କରିଥିଲେ । ସେହିପରି ଗତ ଦୁଇଦିନ ପୂର୍ବେ ବ୍ଳକ ଅଧିନସ୍ଥ ଚଷା ନିମଖଣ୍ଡି ଉନ୍ନିତ ବିଦ୍ୟାଳୟ ୫ ଟି ଉପକ୍ରମରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ସେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ଅନ୍ୟପକ୍ଷରେ ବଡପଦା ପ୍ରାଥମିକ ବିଦ୍ୟାଳୟକୁ ସରକାର ଉଠାଇଦେବା ଫଳରେ ଆଖପାଖ ଗ୍ରାମାଞ୍ଚଳର ବହୁ ଛାତ୍ରଛାତ୍ରୀ ଭବିଷ୍ୟତ ଅନ୍ଧାର ହେବାକୁ ବସିଥିବା ବେଳେ ସେମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ ଅଭିଯୋଗ କରିଥିଲେ । ଏଥିସହ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ଯୋଜନାର ୨୬୭ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୯୪ କେନ୍ଦ୍ରରେ ନିଜସ୍ଵ ଗୃହ ନଥିବା ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବିଭାଗୀୟ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ସୂଚନା ଦେଇଥିଲେ । ବ୍ଳକର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ ଏବଂ ଘୋଡାହଡ ଓ ବାଘଲଟି ଜଳଭଣ୍ଡାରର ୨୫ ଗୋଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ଇଂ . ଜ୍ୟୋତି ରଞ୍ଜନ ବିଶ୍ୱାସରାୟ ସୂଚନା ଦେଇଛନ୍ତି । ଏହି ଅବସରରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପଞ୍ଚାୟତରେ ଜଳଛତ୍ର ଖୋଲିବା ପାଇଁ ବିଡ଼ିଓ ଶ୍ରୀ ଦାସ ସମସ୍ତ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ଳକରେ ଗତ ଖରିଫ ଧାନ ଚାଷରେ ଚାଷୀମାନଙ୍କ ଠାରୁ ୩ ଲକ୍ଷ ୬ ହଜାର ୬୨ କୁଇଣ୍ଟାଲ ଧାନ ସରକାରୀ ଦରରେ କ୍ରୟ କରାଯାଇଥିବା ଯୋଗାଣ ନିରୀକ୍ଷକ ବ୍ରଜେଶର ରାୟ କହିଥିଲେ । ଏହିପରି ବର୍ତ୍ତମାନ ଭତ୍ତା ଗୁଡ଼ିକ ଅନଲାଇନ ପେମେଣ୍ଟ ହେଉଥିବା ଯୋଗୁଁ ହିତାଧିକାରୀମାନେ ୬ ମାସ ହେଲା ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଥିଲା । ତେବେ ବୈଠକରେ ପୂର୍ତ୍ତବିଭାଗ , ବିଦ୍ୟୁତ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ବନବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ରହିଥିବା ଯୋଗୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସୂଚନା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ସମସ୍ତ କଳ୍ପନା ଜଳ୍ପନା ମଧ୍ୟରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ପଞ୍ଚାୟତ କେଦାରପୁର ହାଇସ୍କୁଲର ପୂର୍ବତନ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ରାଜ୍ୟପାଳ ପୁରସ୍କାର ବିତ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କୁ ନିଜର କର୍ତ୍ତବ୍ୟ ପାଇଁ ପଞ୍ଚାୟତ ସମିତି ପକ୍ଷରୁ ବିଡ଼ିଓ ଶ୍ରୀ ଦାସ ଓ ଅଧ୍ଯକ୍ଷା ଶ୍ରୀମତୀ ସେଠୀ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିବା ଜଣାପଡିଛି । ଏହି ବୈଠକରେ ଜିଲ୍ଲା ପରିଷଦ ଏମ୍ . ଅନୁସୟା ରେଡ୍ଡୀ , ସଂଯୁକ୍ତା କବି , ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହିଥିଲେ । _ ରିପୋର୍ଟ କିରଣ କୁମାର ବେହେରା