You are currently viewing ରାଜନୈତିକ ଶତ୍ରୁତାକୁ ନେଇ ପୁଣିଥରେ ଅଶାନ୍ତ ଚୌଧୁରୀ . ଟିକରପଡା ପଞ୍ଚାୟତ : ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା
ରାଜନୈତିକ ଶତ୍ରୁତାକୁ ନେଇ ପୁଣିଥରେ ଅଶାନ୍ତ ଚୌଧୁରୀ . ଟିକରପଡା ପଞ୍ଚାୟତ : ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା

ପୁଣିଥରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚୌଧୁରୀ . ଟିକରପଡା ପଞ୍ଚାୟତରେ ଅଶାନ୍ତିର ବାତାବରଣ ଖେଳି ଯାଇଥିବା ବେଳେ ଗତକାଲି ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ବଜ୍ରଗୁମା ଗ୍ରାମର ସନାତନ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ସୂଚନା ମିଳିଛି । ଖବରନୁଯାୟୀ , ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହି ଆସୁଅଛି । ଏପରିକି ବର୍ତ୍ତମାନ ସୁଦ୍ଧା ୫ ଟା ମୁଣ୍ଡ ଗଡ଼ି ଯାଇଥିଲେ ମଧ୍ୟ ପ୍ରାୟତଃ ପଞ୍ଚାୟତରେ ସ୍ଥିତି ସୁଧୁରିବା ପରି ଜଣାପଡିନାହିଁ । ଏଭଳି ପରିସ୍ଥିତିରେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ରେ ବଜ୍ରଗୁମ୍ମା ଗ୍ରାମର ସନାତନ ସାହୁ ନାମକ ଜଣେ ବିଜେଡ଼ି ସମର୍ଥକ ଭ୍ରମରପୁର ଗ୍ରାମରେ କାମ ସାରି ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ଢେପାପେଣ୍ଠ ଗାଁ ଛକରେ ଶିକ୍ଷକ କାଳୁଚରଣ ସାହୁଙ୍କ ନେତୃତ୍ୱରେ ବିଜେଡ଼ିର ଅନ୍ୟଏକ ଗୋଷ୍ଠୀ ସନାତନଙ୍କୁ ରାସ୍ତା ଉପରେ ଅଟକାଇ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନାତନଙ୍କ ମୁଣ୍ଡ ଓ ଆଖି ପତାରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଗୁରୁତର ଆହାତ ସନାତନଙ୍କୁ ବମୋକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟପକ୍ଷରେ ଶିକ୍ଷକଙ୍କ ହାତରେ ମଧ୍ୟ ମାଡ ହୋଇଥିବା କିଛି ଫଟୋ ଭାଇରଲ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନ ସୁଦ୍ଧା ଥାନାରେ ଉଭୟଙ୍କ ପକ୍ଷରୁ କୌଣସି ଏତଲା ଦିଆ ଯାଇନଥିବା କେ.ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି । ରିପୋର୍ଟ କିରଣ କୁମାର ବେହେରା