ଆସିକା, ୨୨/୮(ଶକ୍ତି ପ୍ରସାଦ କର) ବିଜ୍ଞାନ ଯୁଗରେ ବି ହଟୁନି ଅନ୍ଧ ବିଶ୍ବାସ। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଅସଲ ବେଳକୁ କାମରେ ଆସୁନି ଏସବୁ ସଚେତନତା ର ବାର୍ତ୍ତା। ଆଉ ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ ଶେଷରେ ଗୁଣି ଗାରେଡ଼ି ସନ୍ଦେହ ରେ ଅନେକ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡା ଥାନା ପରିସରରେ ଦେଖିବାକୁ ମିଳିଛି। କୋଟିନଡା ଗ୍ରାମ ର ଗନ୍ଧର୍ବ ମହାନ୍ତି ଙ୍କ ପରିବାରର ୩ ଜଣଙ୍କୁ ଏକା ବେଳକେ ଭୂତ ସବାର ହୋଇଛି। ଏମାନେ କୋଟିନଡା ଥାନା ଆଗରେ ବିଭିନ୍ନ ପ୍ରକାର ର ଚିତ୍କାର କରି ସଂପୃକ୍ତ ବ୍ୟକ୍ତିଙ୍କ ଶରୀର କୁ ଭୂତ ଆସିଥିବା ଉଲ୍ଲେଖ କରିଛନ୍ତି। ଆଉ ଏସବୁ ଦେଖି ଗ୍ରାମବାସୀମାନେ କୋଟିନଡା ଥାନା କୁ ଆସି ଗାଁ ରେ ସର୍ବଦା ଏଭଳି ଅଭାବନୀୟ ଘଟଣା ଲାଗି ରହୁଥିବାରୁ ତୁରନ୍ତ ଗୁଣିଆ ଆଣିବା ସହ ଗାଁ ରୁ ଗୁଣିଆକୁ ଖୋଜି ବାହାର କରିବାକୁ ଥାନା ଅଧିକାରୀ ଅନୁମତି ଦେବାକୁ ଦାବି କରୁଛନ୍ତି। ଶେଷରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଏବେବି ସେଠାରେ ଉତ୍ତେଜନା ଲାଗି ରହିଛି ।

