ଭୁବନେଶ୍ୱର , ୦୨/୦୯ -:- (ଦୀପ୍ତି ରଞ୍ଜନ ମଲ୍ଲିକ) -:- ରାଜଧାନୀରେ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯାଇଛି। କିନ୍ତୁ ଏହି ଆବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଛି ବୋଲି ଅଭିଯୋଗ କରିଛି ଭୁବନେଶ୍ବର ବସ୍ତି ଉନ୍ନୟନ ପରିଷଦ। ଆଜି ଗୋଦାବରୀଶ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦ ପକ୍ଷରୁ ଏହି ବ୍ୟାପକ ଜାଲିଆତିର ତଦନ୍ତ ଦାବି କରାଯାଇଛି। ପରିଷଦର ଅଭିଯୋଗ ଅନୁସାରେ ପ୍ରଥମତଃ ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରାଯାଇନାହିଁ । ୨୦/୩୦ ବର୍ଷ ଧରି ବସ୍ତିରେ ରହୁଥିବା ବହୁ ଲୋକ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ଦଳର କର୍ପୋରେଟରମାନେ ବସ୍ତି ବାହାରେ ରହୁଥିବା ଲୋକଙ୍କଠାରୁ ବିପୁଳ ଅର୍ଥ ନେଇ ଜମି ପଟ୍ଟା ଦେଇଛନ୍ତି। ଅନେକ ସରକାରୀ ଚାକିରିଆ ଓ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକେ କର୍ପୋରେଟରମାନଙ୍କୁ ହାତ କରି ଜମିପଟ୍ଟା ହାତେଇଛନ୍ତି। ଗୁହାଳ ଓ ବସାଉଠା ଘର ଭଡ଼ାକୁ ସେମାନେ ଚଞ୍ଚକତା କରିଛନ୍ତି। ସେହିଭଳି ୧ ଲକ୍ଷ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମି ମୂଲ୍ୟ ଧାର୍ଯ୍ୟ କରାଯାଇଥିବାରୁ ବହୁ ଗରିବ ଲୋକ ଜମି ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଗୋଟିଏ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ଏକାଧିକ ପ୍ଲଟ୍ ଅଧିକାର ପ୍ରମାଣପତ୍ର ପାଇଛନ୍ତି। ତେଣୁ ବସ୍ତିଗୁଡ଼ିକରେ ପୁନଃ ସର୍ଭେ କରାଯିବା ହୋଇଥିବା ବ୍ୟାପକ ଜାଲିଆତିର ତଦନ୍ତ ହେବା ଜରୁରୀ। ନକଲି ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଜମି
ଅଧିକାର ପ୍ରମାଣପତ୍ର ପ୍ରତ୍ୟାହାର କରାଇନେବାକୁ ପରିଷଦ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ବସ୍ତି ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ପ୍ରଧାନ, ସହଭାଗୀ ବିକାଶ ମଞ୍ଚର ଆବାହକ ସଚ୍ଚିକାନ୍ତ ପ୍ରଧାନ, ବସ୍ତିବାସିନ୍ଦା ସଂଘର ସଭାନେତ୍ରୀ ରଞ୍ଜୁଲତା ମହାପାତ୍ର, ଶାନ୍ତପଲ୍ଲୀ ବସ୍ତିବାସିନ୍ଦା କମିଟିର ସଭାପତି କୈଳାସ ପ୍ରଧାନ, ପ୍ରଶାନ୍ତ ବେହେରା, କ୍ଷେତ୍ରବାସୀ ବେହେରା, ଅର୍ଜୁନ ପ୍ରଧାନ, ମଞ୍ଜୁଲତା ସ୍ଵାଇଁ, ମିନତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
