You are currently viewing ବିଧାୟିକାଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ , କବିସୂର୍ଯ୍ୟନଗରରେ ଫିକା ପଡିଲା ପ୍ରତିଷ୍ଠା ଦିବସ
ବିଧାୟିକାଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ , କବିସୂର୍ଯ୍ୟନଗରରେ ଫିକା ପଡିଲା ପ୍ରତିଷ୍ଠା ଦିବସ

କୋଦଳା (୨୬/୧୨ /୨୦୨୩)
ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ମଂଗଳବାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପାଳନ କରାଯାଇଛି। ତେବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ଠାରେ ଅନୁଷ୍ଠିତ ହୋଇଥିବା ବିଜେଡିର ପ୍ରତିଷ୍ଠା ଦିବସରେ ସେତେ ଆଡମ୍ବର ଦେଖିବାକୁ ମିଳି ନ ଥିଲା। ନିର୍ବାଚନ ମଣ୍ଡଳୀରେ ବିଜୁ ପ୍ରେମୀ ତଥା ବିଜେଡି ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ କାରଣରୁ ପ୍ରତିଷ୍ଠା ଦିବସ ଫିକା ପଡି ଯାଇଥିବା ନେଇ ଚର୍ଚ୍ଚା ହେଉଛି। କୋଦଳା ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସଭାରେ ଦଳର ପୁରୁଖା ନେତା ଓ କର୍ମୀଙ୍କ ଦେଖା ମିଳି ନ ଥିଲା। ଏଠାକାର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱକୁ ପ୍ରତ୍ଯାକ୍ଷାନ କରି ବହୁ ଜନପ୍ରତିନିଧି ଯୋଗ ଦେଇ ନଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକ ମାନଙ୍କୁ ବିଧାୟିକା ଲତିକା ପ୍ରଧାନ ଦୀର୍ଘଦିନ ଧରି ଅଣଦେଖା କରୁଥିବା ଅଭିଯୋଗ ହେଉଥିବା ବେଳେ ବିଜେଡି ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କ ସମର୍ଥକ ମାନେ ମଧ୍ୟ ଲତିକାଙ୍କ ନେତୃତ୍ୱକୁ ପ୍ରତ୍ଯାକ୍ଷାନ କରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକାଠି ନେଇ ଦଳକୁ ଶକ୍ତିଶାଳୀ କରିବା ପାଇଁ ଆହ୍ବାନ ଦେଉଥିବା ବେଳେ କବିସୂର୍ଯ୍ୟନଗର ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ କବିସୂର୍ଯ୍ୟନଗରର ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା, ବେଗୁନିଆପଡ଼ା ପୂର୍ବତନ ବ୍ଲକ ସଭାପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷା, ପୂର୍ବତନ ବ୍ଲକ ଉପାଧ୍ଯକ୍ଷ, କୋଦଳା ନଗର ବିଜେଡି ପୂର୍ବତନ ସଭାପତି, ଏପରି ବହୁ ପୁରୁଖା ନେତାମାନେ ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱକୁ ପ୍ରତ୍ଯାକ୍ଷାନ କରି ଯୋଗ ଦେଇ ନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଆଗାମୀ ଦିନରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକ ବୋଲି ଚର୍ଚ୍ଚା ଜୋର ଧରିଛି।