ବ୍ରହ୍ମପୁର – ଚଳିତ ବର୍ଷ ବ୍ରହ୍ମପୁର ବନଖଣ୍ଡରେ ଅନୁଷ୍ଠିତ ହୋଇଥିବା ପକ୍ଷୀ ଗଣନା ଗୁରୁବାର ସମାପ୍ତ ହୋଇଛି। ଏହି ବନଖଣ୍ଡରେ ମୋଟ ୪ ଗୋଟି ବନାଞ୍ଚଳ ରହିଥିବା ବେଳେ ୪୯ ଗୋଟି ଟିମ୍ ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ନିୟୋଜିତ ହୋଇଥିଲେ। ଏହି ଟିମ୍ ଗୁଡ଼ିକ ବନଖଣ୍ଡ ରେ ପକ୍ଷୀଙ୍କ ସମାଗମ ହେଉଥିବା ବିଭିନ୍ନ ସ୍ଥାନ ମାନଙ୍କରେ ନିୟୋଜିତ ରହିଥିଲେ। ଚଳିତ ବର୍ଷ ମୁଖ୍ୟତଃ ବନଖଣ୍ଡ ଅଧିନରେ ଖପରା ଖାଇ, ଲାଞ୍ଜି ଗେଣ୍ଡି, ହଂସରାଳି, ପାଣିଚିରା ଗେଣ୍ଡି, ପାଣି ଚିରା, କୁକୁଭା, ରଙ୍ଗ ଗେଣ୍ଡି, ଧୁସୁରା ଗେଣ୍ଡି,ଗୋଠ ବଗୁଲି, ଗେଣ୍ଡାଳିଆ ପ୍ରଜାତିର ପକ୍ଷି ବହୁମାତ୍ରାରେ ଦେଖିବାକୁ ମିଳିଛି। ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ବନଖଣ୍ଡ ର ବାହୁଦା ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ସର୍ବାଧିକ ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ଥର ବନଖଣ୍ଡ ଅଧୀନରେ ହୋଇଥିବା ଗଣନାରେ ମୋଟ ୧୪୯ ପ୍ରଜାତିର ୨୬ ହଜାର ୯୮୫ ଗୋଟି ପକ୍ଷୀ ନଜର ଆସିଥିଲେ। ବନଖଣ୍ଡ ଅଧୀନରେ ପ୍ରଥମ କରି ଫ୍ଲାମୀଙ୍ଗୋ ପକ୍ଷୀ କୁ ଗଣନା କାରୀ ଟିମ୍ ଦେଖିଥିଲେ।

ସେହିପରି ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବନଖଣ୍ଡ ପକ୍ଷୀଙ୍କ ଆଗମନ ବହୁତ୍ ସଂଖ୍ୟାରେ କମି ଯାଇଛି। ବିଗତ ବର୍ଷ ଗଣନା ଅନୁଯାୟୀ ଏହି ବନଖଣ୍ଡ କୁ ୩୪ ହଜାରରୁ ଉର୍ଦ୍ଧ୍ବ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ଏହାର ସଂଖ୍ୟା ୨୭ ହଜାର ଛୁଇଁ ପାରି ନଥିବା ଦେଖା ଦେଇଛି। ତେବେ ଗଣନା କାରୀ ଟିମ୍ ବିଭିନ୍ନ ନୂତନ ପ୍ରଜାତିର ପକ୍ଷୀ ଦେଖିଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ସୂଚନା ଦେଇଛନ୍ତି।
