କୋଦଳା (୨୧/୦୪/୨୦୨୪)
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପୁଣି ଥରେ ଲତିକା ପ୍ରଧାନ ଟିକେଟ୍ ପାଇବା ପରେ ଦାନା ବାନ୍ଧୁଛି ଅସନ୍ତୋଷ। ଦଳର ପୁରୁଖା ନେତା, ଦିବଂଗତ ବିଧାୟିକା ରାଣୀଙ୍କ ଅନୁଗାମୀ ଓ ଛାମୁହାଁ କର୍ମୀ ମାନେ ମିଳିମିଶି ଲତିକା ହଟାଅ, କବିସୂର୍ଯ୍ୟନଗର ବଞ୍ଚାଅ ନାରା ଦେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ରବିବାର କୋଦଳା ନିକଟସ୍ଥ କିନାରୀ ଠାରେ ଲତିକା ବିରୋଧୀ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ସାମିଲ ହୋଇଛନ୍ତି ବେଗୁନିଆପଡ଼ା ବ୍ଲକର ପ୍ରତି ପଞ୍ଚାୟତର ଆଗ ଧାଡିର କର୍ମକର୍ତ୍ତାଙ୍କ ସହ କୋଦଳା ଏନଏସିର ନେତା ଓ କର୍ମୀ। ନିଷ୍ପତ୍ତି ନେଇଛନ୍ତି ଯେମିତି ବି ହେଉ ଏଥର ଲତିକାଙ୍କୁ ବିରୋଧ କରି ଏକ ବଡ଼ ଝଟକା ଦେବେ। ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିଦିନ ଥିବା ବେଳେ ବିଜେଡ଼ିରୁ ଟିକେଟ୍ ପାଇ ମଇଦାନକୁ ଓହ୍ଲାଇଥିବା ବିଧାୟିକା ଲତିକା ପ୍ରଧାନଙ୍କୁ ଏଭଳି ବିରୋଧକୁ ନେଇ ଖୋଦ୍ ବିଧାୟିକା ଚିନ୍ତାରେ ଥିବା ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ ଗୋଷ୍ଠୀ ତଥା ଖଲ୍ଲିକୋଟ ରାଣୀ ଲିଗାସି ଏବେ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।ଶହ ଶହ ସଂଖ୍ଯାରେ ନେତା ଓ କର୍ମୀ ବିଧାୟିକାଙ୍କ କାର୍ଯ୍ଯକଳାପ ଉପରେ ଅସନ୍ତୋଷ ପ୍ରକାଶ କରି ବୈଠକରେ ବିଷୋଦଗାର କରିଥିବା ଦେଖିବାକୁ ମିଳିଛି। ଏଣୁ ନିର୍ବାଚନରେ କିଭଳି ଲତିକାଙ୍କୁ ହରାଇବେ ସେ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି।ବେଗୁନିଆପଡ଼ାର ବରିଷ୍ଟ ନେତା ତଥା ବ୍ଲକ ବିଜେଡି ସଭାପତି ବିଜୟ ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ ପାଣ୍ଡି, କୋଦଳା ନଗର ବିଜେଡି ସଭାପତି ସଞ୍ଜିବ କୁମାର ସାହୁ, ସଂପାଦକ ଗୋପାଳକୃଷ୍ଣ ସାହୁ, ଦିଗାପଡା ସମିତି ସଭ୍ୟ ପ୍ରତିନିଧି ଚିତ୍ରସେନ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀଙ୍କ ସହ ବହୁ ଯୁବ ନେତା ଓ କର୍ମୀ ଉପସ୍ଥିତ ରହି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି। ଗୋଟିଏ ପଟେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିର ବଳ ବୃଦ୍ଧି ପାଉଥିବା ବେଳେ ବିଜେଡିର ପ୍ରାର୍ଥୀ ଚୟନ ଭୂଲ୍ ଯୋଗୁଁ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହୋଇ ଯାଉଥିବା ପରିଲକ୍ଷିତ ହେଉଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
