You are currently viewing <em>ସରସ୍ଵତୀ କଳା ପରିଷଦର ୧୯ ତମ ପ୍ରତିଷ୍ଠା ମହୋତ୍ସବ ପାଳିତ</em>
ସରସ୍ଵତୀ କଳା ପରିଷଦର ୧୯ ତମ ପ୍ରତିଷ୍ଠା ମହୋତ୍ସବ ପାଳିତ

କଟକ ସଦର (୨୩/୧୨) କନ୍ଦରପୁର ଥାନା ଅନ୍ତର୍ଗତ ଅଗ୍ରଣୀ କଳା ଓ ସାମାଜିକ ଅନୁଷ୍ଠାନ ସରସ୍ଵତୀ କଳା ପରିଷଦର ୧୯ ତମ ପ୍ରତିଷ୍ଠା ଦିବସ ତଥା ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଉମାକାନ୍ତ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତ୍ରିଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ଉତ୍ସଵର ଉଦଘାଟକ ଭାବରେ ପରିବେଶବିତ୍ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ଆୟତପୁର ଗ୍ରା.ପ. ସରପଞ୍ଚ ରାଜେଶ ବେହେରା,ସମିତି ସଦସ୍ୟା ମାନସୀ ମଲ୍ଲିକ, କନ୍ଦରପୁର ଗ୍ରା.ପ. ସରପଞ୍ଚ ସୁଭାଷିନୀ ରାଉତ, ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ମାହାଲି, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇଂ. ଅଶୋକ କୁମାର ବିଶ୍ବାଳ, ପିତାମ୍ବର ମହାପାତ୍ର, ନବଘନ ରାଉତ ଓ ନାଟ୍ୟକାର ବାମଦେବ ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ପ୍ରତିଭା ଶତପଥି ସଭାପତିତ୍ବ କରିଥିବାବେଳେ ସମ୍ପାଦକ ନାଟ୍ୟ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ସ୍ଵାଗତ ସମ୍ବର୍ଦ୍ଧନା ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥି ପରିଚୟ ଓ ସଭା ପରିଚାଳନା ପ୍ରଭାତ ମଲ୍ଲିକ କରିଥିଲେ। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଇଂ.ଶ୍ରୀକାନ୍ତ କୁମାର ବେଉରାଙ୍କ ସଂଯୋଜନାରେ ଦୈତାରି ପ୍ରଧାନ, ପ୍ରଲବ୍ୟ ମହାପାତ୍ର ଓ ଦୁର୍ଗା ପ୍ରସାଦ ପରିଡା ପ୍ରମୁଖ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଗୀତ,ନୃତ୍ୟ, କଳା,ଅଭିନୟ,ଗ୍ରୁପ୍ ଡ୍ୟାନସ୍ ,ବକ୍ତୃତା ଓ ପ୍ରବନ୍ଧ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପରିବେଶବିତ୍ ନବକିଶୋର ପଣ୍ଡାଙ୍କ ଜୀବନବ୍ୟାପୀ ପ୍ରକୃତି ସାଧନା ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯିବା ସହ ବିଭନ୍ନ ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ସେହିଭଳି କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଅତିଥି ଭାବରେ ସାହିତ୍ୟକ ଓ ଗବେଷକ ପ୍ରମୋଦ ପଣ୍ଡା, ଶିକ୍ଷାବିତ୍ ଖଲିକୁଜ ଜମାନ ଖାନ,ସମାଜସେବୀ ଇଂ.ବସନ୍ତ ରାଉତ, କଳିଙ୍ଗ ଟିଭି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅୟସକାନ୍ତ ସ୍ୱାଇଁ ଓ ଅଭିନେତା ସମାଜସେବୀ କୃତିବାସ ମୁଣ୍ଡୁ ପ୍ରଭୃତି ଯୋଗଦେଇ ନିଜର ବହୁମୂଲ୍ୟ ସାମାଜିକ ବାର୍ତ୍ତା ଦେବା ସହ ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ।