ବେଗୁନିଆପଡ଼ା
ବିନା ସୂଚନା ଫଳକରେ ଚାଲିଛି ସରକାରୀ କାର୍ଯ୍ୟ। ଜନସାଧାରଣଙ୍କୁ ଅଦୃଶ୍ୟରେ ରଖି ଖୁଲମଖୁଲା ଚାଲିଛି ବେଆଇନ କାର୍ଯ୍ୟ। ନିୟମ ଅନୁସାରେ ଯେ କୌଣସି ସରକାରୀ ଅନୁଦାନରେ ଉନ୍ନୟନ ମୂଳକ କାର୍ଯ୍ଯ କରାଯିବ, କାର୍ଯ୍ଯ ଆରମ୍ଭ ପୂର୍ବରୁ ସେ ନେଇ ସମସ୍ତ ସୂଚନା ଦେବାକୁ ବାଧ୍ୟ ରହିଛି। ସୂଚନା ଫଳକ ତିଆରି କରି ସମସ୍ତ ସୂଚନାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ବାଧ୍ୟ ବୋଲି ଆଇନ ରହିଛି। କିନ୍ତୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଥିବା ସରକାରୀ କାର୍ଯ୍ୟରେ ସୂଚନା ଫଳକ ଲାଗୁ ନଥିବାରୁ କାର୍ଯ୍ୟ ସଂପର୍କରେ ଅବଗତ ହୋଇ ପାରୁ ନାହାନ୍ତି ଲୋକେ। ସୂଚନା ଅନୁଯାୟୀ ଏହି ବ୍ଲକର ବଡ଼ ଖଇରଖମା ପଞ୍ଚାୟତର ବଡ଼ ଖଇରଖମା ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଡ୍ରେନେଜ୍ କାର୍ଯ୍ୟ ଗତ ୧୫ ଦିନ ହେବ ଆରମ୍ଭ ହୋଇଥିଲା ବେଳେ କୌଣସି ସ୍ଥାନରେ ଏନେଇ ସୂଚନା ଫଳକ ଲଗାଯାଇନଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଉକ୍ତ କାର୍ଯ୍ୟର ଅଟକଳ ମୂଲ୍ଯ କେତେ, କାର୍ଯ୍ଯ ଆରମ୍ଭ, ଶେଷ ତାରିଖ, କାର୍ଯ୍ଯ କିଏ ସଂପାଦନ କରୁଛନ୍ତି ସେ ନେଇ କୌଣସି ସୂଚନା ପାଇ ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।ତେବେ ଏନେଇ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ଏବେ ଫଳକ ତିଆରି ଚାଲିଛି, ଲେଖା ହୋଇଯିବ ବୋଲି ସେ କହିଥିବା ବେଳେ କାର୍ଯ୍ଯ ଆରମ୍ଭ ପୂର୍ବରୁ କାହିଁକି ସୂଚନା ଫଳକ ଲଗା ଯାଉନି ତାକୁ ନେଇ ପ୍ରଶ୍ନ ଉଠିଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
