ଚିକିଟୀ– ଏହି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ୦୮.୦୭.୨୬ ଦିନ ହେବାକୁ ଥିବା ନିର୍ବାଚନ ସ୍ଥଗିତ କୁ ନେଇ ବ୍ଲକ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଛି। ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ସମ୍ପର୍କରେ ସମିତି ସଭ୍ୟ ଓ ସଭ୍ୟା ମାନଙ୍କୁ ନିୟମାନୁସାରେ ପୂର୍ବରୁ ଲିଖିତ ସୂଚନା ଦିଆଯାଇନଥିବା ଅଭିଯୋଗ କରି ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ଓ ଜିଲ୍ଲା ପରିଷଦ ମାନେ ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ନିର୍ବାଚନ ଅଧିକାରୀ ଏହାର ଜବାବ ଦେବାକୁ ଦାବି କରିଥିଲେ।
ସୂଚନା ଅନୁଯାୟୀ ଗତ ମଇ ମାସ ୨୯ ତାରିଖରେ ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀଙ୍କ ବିୟୋଗ ପରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା। ଏହି ସ୍ଥାନ ପୁରଣ ପାଇଁ ଗତ ଜୁନ୍ ୩୦ ତାରିଖରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚଳିତ ମାସ ୮ ତାରିଖରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ସହିତ ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଏନେଇ ବ୍ଲକର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିଲା। ସେହି ଅନୁଯାୟୀ ସମସ୍ତେ ନିର୍ଦ୍ଧାରିତ ଦିନରେ ନିର୍ବାଚନରେ ଯୋଗଦେବା ପାଇଁ ପ୍ରସ୍ତୁତି କରିଥିଲେ। କିନ୍ତୁ ଏହି ଉପ ନିର୍ବାଚନ ସ୍ଥଗିତ କରିବା ପାଇଁ ବ୍ଲକର ତିନି ଜଣ ସମିତି ସଭ୍ୟ ମାନ୍ୟବର ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଚିକିଟୀ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଏହାପରେ ନିର୍ବାଚନ ଅଧିକାରୀ ୭ ତାରିଖ ସନ୍ଧ୍ୟାରେ ନିର୍ବାଚନ ସ୍ଥଗିତ ହେବା ନେଇ ବିଜ୍ଞପ୍ତି ଜାରି କରିଥିଲେ।
ତେବେ ଅଭିଯୋଗ ହୋଇଛି ଯେ, ସରକାରୀ ନିୟମାନୁସାରେ ସମିତି ସଭ୍ୟ ଓ ସଭ୍ୟା ମାନଙ୍କୁ ବ୍ୟକ୍ତିଗତ ଭାବେ ଚିଠି ମାଧ୍ୟମରେ ସୂଚନା ଦିଆଯାଇନଥିଲା। ଫଳରେ ବହୁ ସମିତି ସଭ୍ୟ ନିର୍ଦ୍ଧାରିତ ସମୟରେ ନିର୍ବାଚନ ସ୍ଥଳରେ ପହଞ୍ଚିବା ପରେ ନିର୍ବାଚନ ସ୍ଥଗିତ ହୋଇଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ।
ଏହାକୁ ନେଇ ବିଜେଡି ସମର୍ଥିତ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ, ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ,ଚିକିଟୀ ବିଜେଡି ସଭାପତି ହେରମ୍ବ ରେଡି, ବରିଷ୍ଠ ବିଜେଡି ସଂଗଠକ ସୁରେନ୍ଦ୍ର ମଣ୍ଡଳ ଓ ବହୁ ବିଜେଡି ସମର୍ଥକ ଏକ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କାହିଁକି ପୂର୍ବରୁ ସମସ୍ତଙ୍କୁ ଲିଖିତ ଭାବେ ସୂଚନା ଦିଆଯାଇନଥିଲା ସେନେଇ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣାକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।
ସମସ୍ତ ସମ୍ପୃକ୍ତ ସଦସ୍ୟଙ୍କୁ ସୂଚନା ପ୍ରଦାନରେ ଅବହେଳା ହୋଇଥିବା ଅଭିଯୋଗକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଏନେଇ ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଯେହେତୁ ବିଳମ୍ବ ହୋଇଛି କିନ୍ତୁ ସୂଚନା ଦିଆଯାଇଛି ବୋଲି ବିଡ଼ିଓ ବିବେକାନନ୍ଦ ମିଶ୍ର କହିଛନ୍ତି।
