You are currently viewing ଦିଗପହଣ୍ଡି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ : କ୍ଷୟକ୍ଷତି ପରିବାରକୁ ଭେଟିଲେ ସରପଞ୍ଚ
ଦିଗପହଣ୍ଡି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ : କ୍ଷୟକ୍ଷତି ପରିବାରକୁ ଭେଟିଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଘଡଘଡି , ବିଜୁଳି , ପବନ ସହ କୁଆପଥର ବର୍ଷା ମାଡ଼ରେ ବ୍ଳକ ଅଧିନସ୍ଥ କଇଠଖଣ୍ଡି ପଞ୍ଚାୟତର କିଛି ଗ୍ରାମରେ କେତେକ ପରିବାରର ଚାଳ ଛପର ଉଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ନଜିର ଆସିଥିବା ବେଳେ ଦିଗପହଣ୍ଡି – ଘୋଡାହଡ ମୁଖ୍ୟ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଖବରନୁଯାୟୀ , ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଆକାଶରେ କଳା ମେଘ ଆସିବା ସହ ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଥିଲା। ଏଥିସହ ଜୋରରେ ପବନ ମଧ୍ୟ ହୋଇଥିଲା । ଯାହାଫଳରେ କଇଠଖଣ୍ଡି ପଞ୍ଚାୟତର ଚକାତେନ୍ତୁଲି ଗ୍ରାମର ସନ୍ତୋଷ ଦୋରା ,ଘନଶୀଙ୍ଗି ଗ୍ରାମର ବିଷ୍ଣୁ ମହାରଣା ,ଉଜ୍ଜ୍ୱଳ ଗୌଡ଼ ଏବଂ ବିରପାଟଣା ଗ୍ରାମର କିଛି ପରିବାର ଏଥିରେ ପ୍ରଭାବିତ ହୋଇଥିଲେ । ଖବରପାଇ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ଼ ଉକ୍ତ ଗ୍ରାମ ମାନଙ୍କରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ସରପଞ୍ଚ ଶ୍ରୀ ଗୈାଡ ପ୍ରଭାବିତ ପରିବାରକୁ କିଛି ଆର୍ଥିକ ସହାୟତା ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମୁୁୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ରହିଥିବା ବଡ଼ ଗଛ ପଡିଥିବା ଫଳରେ କିଛି ଘଣ୍ଟା ଧରି ଦିଗପହଣ୍ଡି ଖମ୍ବାରୀ ଗାଁ ରାସ୍ତା ଅବରୋଧ ହୋଇଥିଲା । ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଯାତାୟାତ କରୁଥିବା ବହୁ ଗାଡି ଅଟକି ରହିଥିଲା । ଏପରିକି ଗ୍ରାମବାସୀଙ୍କ ସହାୟତାରେ ଗଛ ଗୁଡ଼ିକୁ କଟାଯାଇ ରାସ୍ତାରୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିଲା ।