You are currently viewing ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର ପ୍ରଦାନ

ଦିଗପହଣ୍ଡି – ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରା କ୍ରମେ ଦିଗପହଣ୍ଡି ବ୍ଳକର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କ ଦାବି ପୂରଣ ନିମନ୍ତେ ଶନିବାର ଦିନ ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଖବରପ୍ରକାରେ , ଗତ ବର୍ଷ ନଭେମ୍ବର ୨୭ ତାରିଖରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ମାନେ ଠିକା ନିଯୁକ୍ତି ଉଚ୍ଛେଦ , କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା , ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ଯକାଳକୁ ନୋସନାଲ ଇଙ୍କ୍ରିମେଣ୍ଟ ପ୍ରଦାନ , ଏକ୍ସ – କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ , କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ , କେନ୍ଦ୍ରୀୟ ହାରରେ ବେତନ , ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଥାର ପୁନଃ ପ୍ରଚଳନ ଦାବିରେ ଆନ୍ଦୋଳନ କରିଥିଲେ । ଯାହାଫଳରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜକୁ ୮ ମାସ ସମୟ ଅତିବାହିତ ହୋଇଯାଇଛି । ତେବେ କୌଣସି ସୁଫଳ ପ୍ରତିକ୍ରିୟା ମିଳିନଥିବାରୁ ପୁଣିଥରେ ପ୍ରାଥମିକ ଶିକ୍ଷକ ମାନେ ସେମାନଙ୍କ ଦାବିକୁ ପୁନଃ ବିଚାର କରି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଛନ୍ତି । ଏହି ଅବସରରେ ଆଜି ମିଳିତ ଶିକ୍ଷକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଦାବି ପ୍ରଦାନ କରିଥିଲେ । ଏପରିକି ଆସନ୍ତା ଅଗଷ୍ଟ ୧୬ ତାରିଖରେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଦାବି ପ୍ରଦାନ ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଦିଗପହଣ୍ଡି ଶାଖା ସଭାପତି ଇ . ଗଣେଶ ପାତ୍ର , ସଂପାଦକ ସନ୍ତୋଷ କୁମାର ଗୈାଡ , ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ , ସଂପାଦକ ପ୍ରଶାନ୍ତ ପାଣିଗ୍ରାହୀ , କନିଷ୍ଠ ଶିକ୍ଷକ ସଂଘ ସଭାପତି ଜ୍ଞାନେନ୍ଦ୍ର ପ୍ରସାଦ ପାତ୍ର , ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ବିଜୟ ଗୈାଡ , ସଂପାଦକ ଗଙ୍ଗାଧର ପ୍ରଧାନ , ସାମୟିକ ଶିକ୍ଷକ ସଂଘ ସଭାପତି ମନୋଜ କୁମାର ଚୌଧୁରୀ , ସଂପାଦକ ପ୍ରଭାତ ଚନ୍ଦ୍ର ପାଢ଼ୀ , ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡା , ଶିବଶଙ୍କର ମିଶ୍ର ସମେତ ବହୁ ଶିକ୍ଷକ ଉପସ୍ଥିତ ରହିଥିଲେ ।